ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ୭୦ଟି ହାୟର ସେକେଣ୍ଡାରୀ ସ୍କୁଲ ଓ ୩୮ଟି ଡିଗ୍ରୀ କଲେଜ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହେବ । ଏଥିପାଇଁ ୬୬.୭୫ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି ବୋଲି ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସୋମବାର ଜନତା ମଇଦାନ ଠାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ପାଇଁ ସମସ୍ତ ସୁବିଧା ଯୋଗାଇଦେବା ଦିଗରେ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ୫ ଟି ସଚିବ କହିଥିଲେ । ବ୍ୟକ୍ତିତ୍ୱ ବିକାଶ ଉପରେ ଧ୍ୟାନ ଦେବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ । ଶାରୀରିକ ସୁସ୍ଥତା ଏବଂ ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ପାରାମିଟର । ପ୍ରତିଦିନ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରିବାକୁ ଏବଂ ଦୌନିକ ୧୫ ମିନିଟ୍ ପାଇଁ ଧ୍ୟାନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।