ରାଉରକେଲା : ରାଉରକେଲା ସହରର ଆରଏମସି ପାଖ ବସ୍ତିରେ ରହୁଥିବା ଆର୍ଲେନ କିଶାନଙ୍କ ସ୍ଵାମୀ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହେଲା। ସ୍ଵାମୀଙ୍କ ମୃତ୍ୟୁ ବାବଦକୁ ମିଳିବାକୁ ଥିବା ଅର୍ଥ ଲାଗି ସେ ରାଉରକେଲା ଶ୍ରମ ବିଭାଗକୁ ବାରମ୍ବାର ଦଉଡି ଦଉଡି ନୟାନ୍ତ ହୋଇଥିଲେ ବି ତାଙ୍କୁ କେହି ସହଯୋଗ କଲେନି ଓ ପାଇବାକୁ ଥିବା ଟଙ୍କାର କୌଣସି ଖୋଜ ଖବର ମଧ୍ୟ ମିଳିଲାନି। ଫଳରେ ନିରାଶ୍ରୟ ଶ୍ରମ ବିଭାଗ ଦୁଆରୁ ଫେରି ଆସି ଦୁଃଖରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ବଖାଣିଛନ୍ତି ବିଧବା ମହିଳା ଶ୍ରୀମତୀ କିଶାନ ।
ତାଙ୍କ ସ୍ଵାମୀ ପାନୁ କିଶାନଙ୍କୁ ୨୦୧୨ରେ ଶ୍ରମିକ ବୋଲି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ମୋହର ଦେଇଥିଲା। ତେବେ ଏହି ମୋହର ପରେ ପାନୁଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଗଲା। ପରେ ତାଙ୍କ ପତ୍ନୀ ଦିର୍ଘ ୬ ବର୍ଷ ଧରି ସ୍ଵାମୀଙ୍କ ମୃତ୍ୟୁ ବାବଦକୁ ମିଳିବାକୁ ଥିବା ଟଙ୍କା ଲାଗି ଶ୍ରମ ବିଭାଗ ରାଉରକେଲାକୁ ଦଉଡୁଛନ୍ତି, କିନ୍ତୁ କୌଣସି ସୁଫଳ ମିଳୁନାହିଁ । ସେପଟେ ରୋଜଗାରିଆ ପୁଅ ବାତ ବେମାରରେ ଅର୍କମଣ୍ୟ ହୋଇ ଘରେ ପଡିଥିବା ବେଳେ ଅନ୍ୟ ଜଣେ ପଇସା ଅଭାବରୁ ପାଠ ନପଢି ପଢାରେ ଡୋରୀ ବନ୍ଧା ହେଲା । ତେବେ ଏହି ଘଟଣାକୁ ନେଇ କେତେକ ଶ୍ରମିକ ଦଲାଲ ତାଙ୍କ ଠାରୁ କାଗଜପତ୍ର କରାଇ ନେଇ ଆଉ ଦେଖା ଦେଉ ନଥିବା ବେଳେ ଶ୍ରମ ବିଭାଗ ତାଲିକାରେ ଏହି ମୃତ ଶ୍ରମିକଙ୍କର ନାମ ଆଉ ଦେଖା ଯାଉ ନାହିଁ ବୋଲି ଶ୍ରମ ଅଧିକାରୀ କହୁଛନ୍ତି ବୋଲି ପଡୋଶୀ ମାନେ କହିଛନ୍ତି । ରାଉରକେଲା ଶ୍ରମ ବିଭାଗରେ କିଛି ଶ୍ରମିକ ସଂଗଠନ ଓ ଦଲାଲଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରମିକ କାର୍ଡ ହେବା ସହ ଶ୍ରମିକ ମାନଙ୍କ ଲାଗି ଆସୁଥିବା ଅର୍ଥର ବାଟ ମାରଣା ଖବର ପାଇ ଆରଟିଆଇରେ ତଥ୍ୟ ମଗାଯିବା ପରେ ଯୁବ ନେତା ରଶ୍ମୀ ରଂଜନ ପାଢୀ ଏଥିରେ ୯ କୋଟୀ ଟଙ୍କାର ହରିଲୁଟ ହୋଇଥିବା ଅଭିଯୋଗ କରି ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ଲୋକାୟୁକ୍ତଙ୍କ ନିର୍ଦ୍ଧେଶ କ୍ରମେ ଭିଜିଲାନ୍ସ ମଧ୍ୟ ତଦନ୍ତ କରି ସତ୍ୟତା ଥିବା ରିପୋର୍ଟ ଦେବା ପରେ ମାମଲା ଏବେ ଉଚ୍ଚନ୍ୟାୟାଳୟରେ ବିଚାରାଧିନ ରହିଛି । ତେବେ ମହିଳା ଜଣଙ୍କର ରହଣି ଯାଗା ହେଉଛି ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ବାବୁଙ୍କ ଅଫିସ ପାଖରେ, ତାଙ୍କରି ନିର୍ବାଚନ ମଣ୍ଡଳୀର ଏହି ମହିଳା ଜଣକ। କିନ୍ତୁ ଆଜିଯାଏ ମନ୍ତ୍ରୀ ମହୋଦୟ ଏ ସଂପର୍କରେ ପଦେ ମୁହଁ ନଖୋଲିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।