ଭୁବନେଶ୍ୱର : ମୋ ସ୍କୁଲ ନାଁରେ ଫେକ୍ ୱେବସାଇଟ୍ ଖୋଲି ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରାଯାଇଛି ।ଅଭିଯୁକ୍ତଙ୍କଠାରୁ ୨ ଲକ୍ଷ ଟଙ୍କା, ନକଲି ଷ୍ଟାମ୍ପ, ମୋବାଇଲ, ଲାପଟପ ସମେତ ବ୍ୟାଙ୍କ ଚେକବୁକ, ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରାଯାଇଛି ।
ଚାକିରୀ ଦେବା ନାଁରେ ପ୍ରାୟ ୬୦ ଜଣଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଗତ ଜୁଲାଇ ୧୨ ତାରିଖରେ ମୋ ସ୍କୁଲ ପକ୍ଷରୁ ଠକେଇ ସମ୍ପର୍କରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ସାଇବର ଲୁଟେରା ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଥିଲେ । ମୋ ସ୍କୁଲ ଅନଲାଇନ ନାଁରେ ଏହି ନକଲି ୱେବସାଇଟ୍ ପ୍ରସ୍ତୁତ କରି ଅଭିଯୁକ୍ତ ଚାକିରୀ ପାଇଁ ଆଶାୟୀଙ୍କୁ ପ୍ରଲୋଭିତ କରୁଥିଲା । ଏଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ଦାବି ମଧ୍ୟ କରୁଥିଲା । ନକଲି ୱେବସାଇଟ ରେ ମୋ ସ୍କୁଲ ଅଫିସରେ ଡାଟା ଏଂଟ୍ରି ଅପରେଟର,ପିଅନ, ଅଫିସ ଆସିଷ୍ଟାଂଟ ଇତ୍ୟାଦି ପୋଷ୍ଟ ପାଇଁ ନକଲି ବିଜ୍ଞାପନ ଦେଇଥିଲେ ସାଇବର ଠକ । ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥି ଏସ୍ ପୋଲିସ୍ କମିଶନରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିଥିଲେ ।