ଗଞ୍ଜାମ : ଲଟେରୀ ନାମରେ ଗାଁର ନିରୀହ ଲୋକଙ୍କୁ ଠକେଇ ମାମଲାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ପୁରୁଷୋତମପୁର ଗ୍ରାମର ଚନ୍ଦ୍ରଶେଖର ସାହୁ, ପ୍ରଶାନ୍ତ ସାହୁ ଏବଂ ଖନ୍ତାପଡ଼ା ଥାନା ଅଂଚଳର ସୁଶାନ୍ତ ଦାଶ ।
ଖଜୁରିପଲ୍ଲୀ ଏବଂ ବି.ତୁରୁଗୁଡି ଗ୍ରାମରେ ଅଭିଯୁକ୍ତ ମାନେ ଗତ କିଛି ଦିନ ହେଲା ଡେରା ପକାଇଥିଲେ । ଲୋକଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଏକ ଲଟେରୀ କମ୍ପାନୀ ଖୋଲି ଟଙ୍କା ଦେଇ ଦାମିକା ଜିନିଷ ନେବାକୁ କହୁଥିଲେ । ପ୍ରଥମେ ଏକ ଲଟେରୀ ଟିକେଟ୍ ମାତ୍ର ୧୦୦ ଟଙ୍କାରେ ବିକ୍ରୀ କରୁଥିଲେ । ଗ୍ରାହକଙ୍କୁ ଟିକେଟ୍ ସ୍କ୍ରାଚ୍ କରିବାକୁ କହି ସେଥିରେ ଲେଖାଥିବା ଯେକୌଣସି ଘରୋଇ ଉପକରଣ ପଙ୍ଖା, ଗ୍ରାଇଣ୍ଡର ଓ ଇଣ୍ଡକସନ୍ ଚୁଲା ଆଦି ପ୍ରଦାନ କରୁଥିଲେ । ଏଭଳି ଭାବେ ଧିରେ ଧିରେ ସେମାନେ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇଥିଲେ । କମ୍ ଦାମ୍ ରେ ବିଭିନ୍ନ ନାମୀଦାମୀ କମ୍ପାନୀର ଏଲସିଡି ଟିଭି, ୱାସିଙ୍ଗ ମେସିନ୍ ଓ ଫ୍ରିଜ୍ ଆଦି ଯୋଗାଇଦେବାକୁ ପ୍ରତିଶୃତି ଦେଇ ୫ରୁ ୬ ହଜାର ଟଙ୍କା ଆଦାୟ କରି ରସିଦ୍ ଦେଉଥିଲେ । କିନ୍ତୁ, ଗାଁ ମୁଣ୍ଡରେ ଗାଡିରେ ଜିନିଷ ରଖାଯାଇଛି ବୋଲି କହି ସେଠାରୁ ଚମ୍ପଟ୍ ମାରିଥିଲେ । ଫଳରେ ଠକେଇର ଶିକାର ହୋଇଥିବା ଜାଣି ବି.ତୁରୁଗୁଡି ଗ୍ରାମର ମୁରଲି ବେହେରା ଓ ଖଜୁରୀପଲ୍ଲୀ ଗ୍ରାମର ରାଜଲକ୍ଷ୍ମୀ ନାୟକ, ସହଦେବ ନାୟକ ଏବଂ ଲକ୍ଷ୍ମଣ ଗୌଡ଼ ପ୍ରମୁଖ ଦିଗପହଣ୍ଡି ଥାନାରେ ଏତଲା କରିଥିଲେ । ଏ ସଂକ୍ରାନ୍ତରେ କେସ୍ ୩୦୨/୨୩ ଅନୁସାରେ ଠକେଇ ମାମଲା ରୁଜ୍ଜୁ ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ପରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।