କଟକ/ଭୁବନେଶ୍ୱର – ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ହକି ମହାକୁମ୍ଭ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ କଟକର ଐତିହାସିକ ବାରବାଟୀ ଷ୍ଟିଡିୟମ୍ ରେ ହକି ବିଶ୍ୱକପ୍ ସମାରୋହ ଆରମ୍ଭ ହୋଇଛି । ବୁଧବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଏହି ଆୟୋଜନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଓଡ଼ିଶାରେ ହକି ବିଶ୍ୱକପ୍ ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଉଦଘାଟନୀ ସମାରୋହରେ ଯୋଗଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେତେ ବି ବିଶ୍ୱକପ୍ ହୋଇଛି, ଓଡ଼ିଶାରେ ସବୁଠାରୁ ଭବ୍ୟ ଆୟୋଜନ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂଟରନ୍ୟାସନାଲ ଫେଡେରେସନ ଅଫ ହକି (ଏଫ୍ଆଇଏଚ୍) ସଭାପତି ତୟାବ ଇକ୍ରମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହିଥିଲେ ।
ହକି ବିଶ୍ୱକପ୍ ର ଉଦଘାଟନୀ ସମାରୋହ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ୍ ଲୋକାରଣ୍ୟ ହୋଇଥିଲା । ଓଡ଼ିଶା ଓ ଓଡ଼ିଶା ବାହାରର ଶିଳ୍ପୀମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣରେ ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ଆନନ୍ଦମୁଖର ହୋଇଉଠିଛି । ସଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଦର୍ଶକମାନେ ଅପରାହ୍ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ । ଅପରାହ୍ଣ ୩ଟାରୁ ନୃତ୍ୟ-ସଂଗୀତର ତାଳେତାଳେ ଝୁମି ଉଠିଥିଲେ ଦର୍ଶକ । ଉଦଘାଟନୀ ଉତ୍ସବ ପାଇଁ ଉଭୟ ବଲିଉଡ ଓ ଓଲିଉଡର ପ୍ରତିଷ୍ଠିତ କଳାକାର ଅଂଶଗ୍ରହଣ କରିଥିଲେ । ଆଜିର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ ଅଭିନେତା ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନୀ ଓ ସଂଗୀତ ନିର୍ଦ୍ଦେଶକ ପ୍ରିତମ୍ । ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ କଣ୍ଠଶିଳ୍ପୀ ସ୍ନିତି ମିଶ୍ରଙ୍କ ଦ୍ୱାରା ସଂଗୀତ ପରିବେଶ ଓ ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଋତୁରାଜ ମହାନ୍ତି, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ଲିସା ମିଶ୍ର ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ ଯେ କି ବିଶ୍ୱକପ୍-୨୦୨୩ର ମ୍ୟାଚଗୁଡ଼ିକ ଜାନୁଆରୀ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ଉଭୟ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମ ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଗୁଡିକ ଖେଳାଯିବ ।