
କେନ୍ଦ୍ରାପଡ଼ା, ୨୯ ଫେବୃଆରୀ – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ଜଣେ ନାବାଳିକା କୁ ଦୁଷ୍କର୍ମ କରିଥିବା ଆସାମୀ ବାବିନି ମଳିକକୁ ଜିଲ୍ଲା ପୋସ୍କୋ ଜଜ ତ୍ରି ବିକ୍ରମ କେଶରୀ ଚିନାରା ୨୦ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, କୁଦାନଗରୀ ଥାନା ଅନ୍ତର୍ଗତ ନଡିଆ ବରେଇ ଗ୍ରାମର ଜଣେ ମାର୍ବଲ ମିସ୍ତ୍ରୀ କପାଳେଶ୍ୱର ଗ୍ରାମରେ ଆସାମୀଙ୍କ ଘର ନିକଟରେ ଘରଭଡା ନେଇ ରହୁଥିଲେ । ୧୩.୦୪.୨୦୨୩ ସକାଳେ ମିସ୍ତ୍ରୀ କାମକୁ ଗଲାପରେ ଘରେ କେହି ନଥିବାର ସୁଯୋଗ ନେଇ ଆସାମୀ ବାବିନି ନାବାଳିକା କୁ ନିଜ କେବିନ ଭିତରକୁ ଡାକି ନେଇ ଚକଲେଟ ଓ ଜଲଜିରା ଦେଇ ତାକୁ ଅସାଦଚାରଣ କରିବା ସହିତ କାହାରିକୁ ପ୍ରକାଶ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସେହିଦିନ ସକାଳ ୧୦ଟାବେଳେ ନାବାଳିକାର ମା ଘଟଣା ବିଷୟରେ କିଛି ନଜାଣି ନାବାଳିକାକୁ ଆସାମୀ ଘରେ ଛାଡି ସ୍କୁଲକୁ ବହି ଆଣିବାକୁ ଯାଇଥିଲେ । ପୁନର୍ବାର ଏହାର ସୁଯୋଗ ନେଇ ଆସାମୀ ନାବାଳିକାକୁ ନିଜ ଘର ଭିତରକୁ ଡାକିନେଇ ସେଠାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହିତ ନାନା ପ୍ରକାର ଯୈାନ ନିର୍ଯ୍ୟାତନା ଦେଇଥିଲା । ନାବାଳିକା ନିଜ ଘରକୁ ଆସି ମା ଆଗରେ ସବୁକଥା ପ୍ରକାଶ କରିବା ପରେ ଭୟଭୀତ ହୋ ନାବାଳିକାର ପରିବାର ନିଜ ଗ୍ରାମ ନଡିଆ ବରାଇକୁ ପଳାଇ ଯାଇ ସଦର ଥାନାକୁ ଆସି ଏତଲା ଦେବାପରେ ସଦର ଥାନା ଅଧିକାରୀ ୩୨୪/୨୩ରେ ଏକ ମାମଲା ରୁଜୁ କରି ଆସାମୀକୁ ଗିରଫ କରିଥିଲେ । ବିଚାରପତି ଶ୍ରୀ ଚିନାରା ଜିଆର କେଶ ନଂ-୩୯/୨୦୨୩ ର ବିଚାର କରି ୧୦ ଜଣଙ୍କର ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ମାଇନା ରିପୋର୍ଟ ଆଧାରରେ ଆସାମୀ ବାବିନି ମଳିକକୁ ୨୦ ବର୍ଷ ଜେଲା ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦାୟ ଆଉ ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବବୋଲି ନିର୍ଦ୍ଦେଶ ରହିଛି । ମାମଲାକୁ ବରିଷ୍ଠ ଆଇନଜୀବି ତଥା ସତନ୍ତ୍ର ପି.ପି ମନୋଜ କୁମାର ସାହୁ ପରିଚାଳନା କରୁଥିଲେ ।