ଭୁବନେଶ୍ୱର : ଗତ ଅଗଷ୍ଟ ୨୩ ତାରିଖ ଦିନ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ତଥା ମାଧ୍ୟମିକ ବିଦ୍ୟାଳୟ ପାଇଁ କନିଷ୍ଠ ଶିକ୍ଷକ ଠିକାରେ ନିଯୁକ୍ତି କରିବା ପାଇଁ ସରକାର ଗେଜେଟ୍ ନୋଟିଫିକେସନ କରିଛନ୍ତି । ୧୦ ମାସ ତଳେ ଠିକା ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ ପାଇଁ କ୍ୟାବିନେଟ୍ ଯେଉଁ ନିଷ୍ପତି ନେଇଥିଲା ହଠାତ୍ କାହିଁକି ଏ ନିଷ୍ପତିର ସଂପୂର୍ଣ୍ଣ ପରିବର୍ତନ ହେଲା ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଯେଉଁ ୨୦ ହଜାର ଯୋଜନା ଭିତିକ କନିଷ୍ଠ ଶିକ୍ଷକ ଠିକା ନିଯୁକ୍ତି କରିବା ପାଇଁ ଗେଜେଟ୍ ନୋଟିଫିକେସନ ପ୍ରକାଶ କରିଛନ୍ତି ତାହାକୁ କଂଗ୍ରେସ ଘୋର ବିରୋଧ କରିଛି । ଠିକା ନିଯୁକ୍ତି ପରିବର୍ତେ ସ୍ଥାୟୀ ନିଯୁକ୍ତି କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ରାଜ୍ୟ ସରକାର ୨୦୧୩ ମସିହା ଠାରୁ ରାଜ୍ୟର ଆଥିକ ସ୍ଥିତି ଅତ୍ୟନ୍ତ ସୁଦୃଢ଼ ଏବଂ ରାଜ୍ୟ ଏକ ଆର୍ଥିକ ବଳକା ରାଜ୍ୟ ବୋଲି ଦାବି କରିଆସୁଛନ୍ତି । ଯଦି ରାଜ୍ୟର ଆର୍ଥିକ ସ୍ଥିତି ମଜୁଭୁତ ଓ ଆର୍ଥିକ କ୍ଷେତ୍ରରେ ବଳକା ରାଜ୍ୟ ତାହାଲେ ରାଜ୍ୟର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ କାହିଁକି ଠିକାରେ ନିଯୁକ୍ତି କରାଯାଉଛି ? ପ୍ରକୃତ ଆର୍ଥିକସ୍ଥିତି ରାଜ୍ୟରେ ମଜଭୁତ ନା ଅତ୍ୟନ୍ତ ଦୁର୍ବଳ ବୋଲି ସେ ପ୍ରଶ୍ନ କରିଛନ୍ତି? ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କିଛି ଆଜି ଠପ୍ ହୋଇଯାଇଛି । ରାଜ୍ୟରେ ସମୁଦାୟ ୯୨ ହଜାରରୁ ଅଧିକ ଶିକ୍ଷକ ପଦବୀ ବହୁ ବର୍ଷ ଧରି ପୁରଣ ନ ହୋଇ ଫାଙ୍କା ପଡ଼ିରହିଛି । ଏ ସମସ୍ତ ପଦବୀକୁ ତୁରନ୍ତ ସରକାର ସ୍ୱଚ୍ଛତାର ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି କହିଥିଲେ ଯେ, ଉଭୟ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ରାଜ୍ୟ ଏବଂ ଦେଶରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଭାଗ୍ୟ ସହିତ ଏମାନେ ସବୁବେଳେ ଖେଳ ଖେଳି ଆସୁଛନ୍ତି । କେନ୍ଦ୍ରର ବିଜେପି ସରକାର ଯେଉଁଭଳି ଭାବରେ ସେନାବାହିନୀରେ ଅଗ୍ନିବିର ନାମରେ ଠିକା ନିଯୁକ୍ତି କଲେ, ଠିକ୍ ସେହିଭଳି ଭାବରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ବିଦ୍ୟାବିର୍ ନାମକ ଏକ ବର୍ଷିଆ ଚୁକ୍ତିଭିତିକ ଠିକା ଶିକ୍ଷକ ନିଯୁକ୍ତି ପାଇଁ ଗେଜେଟ୍ ନୋଟିଫିକେସନ ଜାରି କରିଛନ୍ତି । ଏହି ପ୍ରକ୍ରିୟାରେ ଦୁର୍ନୀତିର ଗନ୍ଧ ବାରିହୋଇପଡ଼ୁଛି । ରାଜ୍ୟ ସରକାର ୨୦ ହଜାର ପଦବୀ ପରିବର୍ତେ ୯୨ ହଜାର ପଦବୀ ତୁରନ୍ତ ପୁରଣ କରନ୍ତୁ ଏବଂ ସମସ୍ତ ଯୋଗ୍ୟପ୍ରାର୍ଥୀ ସ୍ଥାୟୀ ନିଯୁକ୍ତି ପାଆନ୍ତୁ, ଏହା ହିଁ କଂଗ୍ରେସର ଦାବି ।
କଂଗ୍ରେସର ଅନ୍ୟତମ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି କହିଛନ୍ତି୨୦ ହଜାର କନିଷ୍ଟ ଶିକ୍ଷକ ଠିକା ନିଯୁକ୍ତି ଯୋଗୁଁ ରାଜ୍ୟରେ ୨୦ ହଜାର ପରିବାରକୁ ରାଜ୍ୟ ସରକାର ଠକୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାସ ଠିକା କନିଷ୍ଠ ଶିକ୍ଷକ ନିଯୁକ୍ତି ନିଷ୍ପତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଥିଲେ ଯେ ରାଜ୍ୟରେ କି ଟ୍ରାନ୍ସ୍ଫରମେସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ଟ୍ରାନ୍ସ୍ଫରମେସନ କ’ଣ ରାଜ୍ୟ ଟ୍ରାନ୍ସ୍ଫରମେସନ ବୋଲି କୁହାଯିବ କି? ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ବ୍ୟବସ୍ଥାଗତ ପରିବର୍ତନର ଆବଶ୍ୟକତା ରହିଛି । ରାଜ୍ୟ କଂଗ୍ରେସ ୨୦ ହଜାର କନିଷ୍ଠ ଶିକ୍ଷକ ଠିକା ଭିତିରେ ନିଯୁକ୍ତି ଦୃଢ଼ ଭାବରେ ବିରୋଧ କରୁଛି । ଏଥିପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ଜନଆନ୍ଦୋଳନ କରିବ ।