ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଆଜି ପୂର୍ବାହ୍ନରେ ୨ଟି ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି । ଫଳରେ ଏବେ ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ଡ଼୍ୟାମ୍ ର ବାମ ପାର୍ଶ୍ଵ ଡାଇକ୍ ର ୨ଟି ଓ ଡାହାଣ ପାର୍ଶ୍ଵ ଡାଇକ୍ ର ୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡାଯାଉଛି ।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮୭ ହଜାର ୮୭୮ ଘନଫୁଟ୍ ଜଳ ପ୍ରବେଶ କରୁଛି । ୪ଟି ସ୍ଲୁଇସ୍ ଗେଟ୍, ଅନ୍ୟାନ୍ୟ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୯୮ ହଜାର ୩୫୬ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରର ଜଳ ପତନ ଆଜି ଦିନ ୧୨ଟା ସୁଦ୍ଧା ୬୧୬.୦୦ ଫୁଟ୍ ରହିଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯିବା ଆରମ୍ଭ ହୋଇଛି ।