– ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ ହେଲେ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 28 ସେପ୍ଟେମ୍ବର – ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍ ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ । ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସପେଣ୍ଡ ହୋଇଛନ୍ତି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ସସ୍ ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଗୁରୁବାର ଦିନ ଦ୍ୱିତୀୟାର୍ଦ୍ଧ ବୈଠକରେ ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ତା’ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମକୁ ଫିଙ୍ଗିଥିଲେ ।
ଘଟଣା ସମ୍ପର୍କରେ ବିଧାୟକ ଶ୍ରୀ ମାଝୀ କହିଛନ୍ତି, ବିନା ଦୋଷରେ ନିଲମ୍ବନ କରାଯାଇଛି । ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନାହିଁ । ସେ ଡାଲି ଭଲପାଉଥିବାରୁ ଆମ ବିଧାୟକମାନେ ଉପହାର ଦେବାକୁ ଆଣିଥିଲେ । ଏ ନିଷ୍ପତି ନିନ୍ଦନୀୟ, ଏହାର ଘୋର ପ୍ରତିବାଦ କରିବୁ । ସେହିପରି ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ,ବିଧାନସଭା ଆଉ ବିଧାନସଭା ହୋଇ ନାହିଁ । ଡାଲି ଏକ ପ୍ରତୀକ । ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନାହିଁ । ଗଣତାନ୍ତ୍ରିକ ଭାବେ ଗୃହ ଚାଲୁନାହିଁ । ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ । ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦଳୀୟ ନିଷ୍ପତି ନେବା କଥା । କିନ୍ତୁ ସେ କରୁ ନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ । ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ ।
ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ସେମାନେ ମେଂଟାଲ ଡିଜ୍ ଅର୍ଡର କହିଲେ । ଏହାକୁ ବିବରଣୀରୁ ବାଦ୍ ଦେବାକୁ କହିଲୁ, କିନ୍ତୁ ବାଚସ୍ପତି ଗ୍ରହଣ କଲେନି । ବାଚସ୍ପତି ନିରପେକ୍ଷ ନୁହନ୍ତି । ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତା ଭଳି ଆଚରଣ କରୁଛନ୍ତି । ବାଚସ୍ପତି ନିଜେ ସସ୍ ପେଣ୍ଡ ହେବା କଥା, ସେ କ’ଣ ସସ୍ ପେଣ୍ଡ କରୁଛନ୍ତି । ଏ ସସ୍ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ । ଆମ ପ୍ରତିବାଦ ଜାରି ରହିବ ।