ସମ୍ବଲପୁର : ଆଜି ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡାଯାଉଥିବା ବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ପରେ ଆଉ ୧୦ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି । ଫଳରେ ଏବେ ମୋଟ୍ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ବନ୍ଧର ବାମ ପାର୍ଶ୍ଵ ଡାଇକ୍ ର ୧୦ଟି ଏବଂ ଡାହାଣ ପାର୍ଶ୍ଵ ଡାଇକ୍ ର ୬ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୭ ହଜାର ୪୯୪ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୧୬ଟି ସ୍ଲୁଇସ୍ ଗେଟ୍ ବିଭିନ୍ନ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୫ ହଜାର ୬୨୭ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୫୬ ଫୁଟ୍ ରହିଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ ୩୦.୩୫ ମି.ମି. ଏବଂ ତଳ ମୁଣ୍ଡରେ ୧୮.୮୮ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବିଭାଗୀୟ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।