ମାଲକାନଗିରି : ମାଲକାନଗିରିରୁ ଜବତ ହେଲା ଧଳା ଜହର । ପୋଲିସ ହାତରେ ଏକ ବଡ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ ଧରାପଡିଛି । ପ୍ରଥମ ଥର ପାଇଁ ଜିଲ୍ଲାରୁ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି । ପୁଲିମେଟଲା ଠାରେ ଗାଡି ଯାଞ୍ଚ ବେଳେ ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମ ବ୍ରାଉନସୁଗାର ଓ ୫୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି କାଲିମେଳା ପୋଲିସ । ଜବତ ବ୍ରାଉନସୁଗାରର ପରିମାଣ କମ ହୋଇଥିଲେ ମଧ୍ୟ ଜିଲ୍ଲାରେ ପ୍ରଥମ ଥର ଧରାପଡିଥିବାରୁ ପୋଲିସ ସତର୍କ ହୋଇଯାଇଛି । ଉପକୂଳ ଓଡିଶା ପରେ ଏବେ ମାଲକାନଗିରିରେ ବ୍ରାଉନସୁଗାର ବେପାର ପାଇଁ ଡ୍ରଗ୍ସ ମାଫିଆ ଯୋଜନା କରୁଥିବା ଅନୁମାନ କରାଯାଉଛି । ତେଣୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ବ୍ରାଉନସୁଗାର ରାକେଟର ମୂଳରେ ପହଞ୍ଚିବାକୁ ପୋଲିସ ଚେଷ୍ଟା କରିବ ବୋଲି ଏଏସପି ରାହୁଲ ଗୋଏଲ ସୂଚନା ଦେଇଛନ୍ତି ।
ମାଲକାନଗିରି ଏସପିଙ୍କ ନିର୍ଦ୍ଦେଶରେ ଏଏସପି ରାହୁଲ ଗୋଏଲ ଏହି ଅନ୍ତଃରାଜ୍ୟ ଡ୍ରଗ୍ସ ରାକେଟର ୬ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ନିକଟରୁ ୧. ୬ ଗ୍ରାମ ବ୍ରାଉନସୁଗାର, ୫୦ କେଜି ଗଞ୍ଜେଇ, ୨ଟି କାର ଓ ନଗଦ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟର ହୋଇଥିବା ବେଳେ ଜଣେ କାଲିମେଳା ଅଞ୍ଚଳର ବୋଲି ଜଣାପଡିଛି ।